ହଠରାସ ଘଟଣାର ତଦନ୍ତ କରିବ ସିବିଆଇ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହଠରାସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର। ପୀଡ଼ିତାଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ଭାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)କୁ ଦେଇଥିଲେ। ଏହି ଟିମ୍‌ ୭ ଦିନ ମଧ୍ୟରେ ରିପୋର୍ଟ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ତେଜିଥିଲା।

ରାଜନୈତିକ ଦଳଠୁ ଆରମ୍ଭ କରି ଗଣମାଧ୍ୟମ ମଧ୍ୟ ପୋଲିସ ଏବଂ ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ। ତେଣୁ ସରକାରଙ୍କ ଉପରେ ଚାପ ବଢିଥିଲା। ଫଳରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ କରି ସୂଚନା ଦେଇଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ହଠରାସରେ ସେପ୍ଟେମ୍ବର ୧୪ରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ଦୁଇ ସପ୍ତାହ ଧରି ଚିକିତ୍ସା କରାଯିବା ପରେ ଶେଷରେ ପୀଡ଼ିତା ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମଙ୍ଗଳବାର ଆଖି ବୁଜିଥିଲେ। ପୀଡ଼ିତାଙ୍କ ପରିବାର ଝିଅର ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରିଥିଲେ। ପରିବାର ବାରମ୍ବାର ନ୍ୟାୟିକ ତଦନ୍ତ ପାଇଁ ଦାବି କରିବା ସହ ଏସଆଇଟି ତଦନ୍ତ ଉପରେ ଭରସା ରଖି ନଥିବା କହିଥିଲେ।

Leave a Reply

Your email address will not be published. Required fields are marked *