ସ୍ତ୍ରୀ ଆଣିଲେ ଅତ୍ୟାଚାର ଅଭିଯୋଗ : ବନ୍ଧାହେବେ ହ୍ୟୁମାନ

ପୁଣି ବିବାଦରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ହ୍ୟୁମାନ ସାଗରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ତାଙ୍କ ପତ୍ନୀ ନିର୍ୟାତନା ଅଭିଯୋଗ ଆଣିଛନ୍ତି । ଗତ କିଛି ମାସ ହେବ ସେ ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ହ୍ୟୁମାନ ସାଗର ପତ୍ନୀ । ତେବେ ବଲାଙ୍ଗୀରର ଏହି କଣ୍ଠଶିଳ୍ପୀ ଏବେ କଟକ ସେକ୍ଟର ୬ରେ ରହୁଛନ୍ତି । ପାରିବାରିକ ଅଶାନ୍ତି ଯୋଗୁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଛନ୍ତି । ଗତକାଲି ଡିସିପିଙ୍କ ଅଫିସକୁ ଯାଇ ଏନେଇ ଅଭିଯୋଗ କରିଛନ୍ତି । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଅଭିଯୋଗପତ୍ର ମହିଳା ଥାନାକୁ ପଠାଯାଇଛି । ଆସନ୍ତା କାଲି ତାଙ୍କ ପତ୍ନୀ ପାରିବାରିକ ହିଂସା ଓ ଦାମ୍ପତ୍ୟ କଳହ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ନିୟମାନୁସାରେ ପ୍ରଥମେ ଉଭୟଙ୍କୁ ଥାନାକୁ ଡାକି ବୁଝାସୁଝା କରାଯିବ। ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।

ତେବେ କିଛି ଦିନ ତଳେ ଓଡିଆ ଭଜନ ନ ଗାଇବା ପ୍ରସଙ୍ଗରେ ବିବାଦ ଘେରକୁ ଆସିଥିଲେ ହ୍ୟୁମାନ ସାଗର । ସଂଗୀତ ନିର୍ଦ୍ଦେଶକ ଦେବାଶୀଷ ମଲିକ ଓରଫ ଜାପାନୀ ତାଙ୍କୁ ଜଗନ୍ନାଥ ଭଜନ ଗାଇବାକୁ ବାଧ୍ୟ କରିବାରୁ ସେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଆଉ ଏବେ ନିଜ ପତ୍ନୀଙ୍କୁ ନିର୍ଯାତନା ଦେବାଭଳି ଘଟଣା ସାମ୍ନାକୁ ଆସିଛି ।

ଏହି ଘଟଣାରେ ହ୍ୟୁମାନ ସାଗର ଏବଂ ତାଙ୍କ ପତ୍ନୀ କାଲି କାଉନସିଲିଂ ପାଇଁ ହାଜର ହେବେ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ଆସନ୍ତା କାଲି ଉଭୟଙ୍କୁ ବୁଝାସୁଝା କରାଯିବ ବୋଲି କହିଛନ୍ତି ଡିସିପି ।

Leave a Reply

Your email address will not be published. Required fields are marked *