ବାଜା ବାଜୁଛି, ବାଣ ଫୁଟୁଛି।ପାଲିଙ୍କିରେ ଯାଉଛି ବର। ଆଉ ବରଯାତ୍ରୀ ସାଜିଛନ୍ତି ସାଧୁ ସନ୍ଥ। ଏମିତି ଏକ ନିଆରା ବାହାଘରକୁ ନେଇ ସବୁଠି ଚର୍ଚା । ରାଜଧାନୀ ଭୁବନେଶ୍ବରରେ ଡାକ୍ତର ଆଶୁତୋଷ ମିଶ୍ର ଓ ଡାକ୍ତରୀ ଛାତ୍ରୀ ଶ୍ରଦ୍ଧା ଶତପର୍ବାଙ୍କ ଏହି ସରଳ ଓ ସାନାତନ ଧର୍ମୀ ବିବାହ ସମସ୍ତଙ୍କୁ ସ୍ତବ୍ଧ କରିଛି । ସବୁଠାରୁ ବଡ଼କଥା ହେଲା କି ଖୋର୍ଦ୍ଧା ଓ ପୁରୀରୁ ସମସ୍ତ ମଠ ମନ୍ଦିରରେ ଥିବା ପ୍ରାୟ ୧୦୮ ଜଣ ସାଧୁସନ୍ଥ ଏହି ବିବାହରେ ବରଯାତ୍ରୀ ସାଜି ବରବଧୂଙ୍କୁ ଆଶୀର୍ବାଦ ଦେଇଛନ୍ତି। ସେମାନଙ୍କ ଆସିବାଠାରୁ ନେଇ ଭୋଜନ ପର୍ଯ୍ୟନ୍ତ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଶ୍ବାସ ରହିଛି ନୂତନ ଜୀବନଧାରଣ ପାଇଁ ବରବଧୂଙ୍କୁ ୩୬ କୋଟି ଦେବତା ଆଶୀର୍ବାଦ ଦେଇଥାନ୍ତି । ଆଉ ଏହି ବିଶ୍ବାସକୁ ପାଥେୟ କରି ଏହି ଡାକ୍ତର ଦମ୍ପତିଙ୍କ ବିବାହରେ ସାମିଲ ହୋଇଛନ୍ତି ବ୍ରହ୍ମଚାର୍ଯ୍ୟ ବ୍ରତ ଧାରଣ କରିଥିବା ସାଧୁସନ୍ଥ ।

ଆଜିକାଲିର ବ୍ୟୟ ବହୁଳ ଓ ଆକର୍ଷଣୀୟ ବିବାହକୁ ଛାଡି ପାରମ୍ପରିକ ଢୋଲ ମହୁରି ବଜାଇ ବର ବାହାରିଥିଲା ଶୋଭାଯାତ୍ରାରେ। ନା ବାଜୁଥିଲା ଡିଜେ, ନା ହେଉଥିଲା କୌଣସି ଆଧୁନିକ ଉନ୍ମାଦ ନାଚ । ଏହା ପରେ ବି ବିବାହକୁ ସମସ୍ତେ ଉପଭୋଗ କରିଛନ୍ତି । ଆଉ ଏମିତି ଏକ ନିରାଡ଼ମ୍ବର ବିବାହକୁ ନେଇ ବେଶ ଖୁସି ବି ଅଛନ୍ତି । ଡାକ୍ତରୀ ପାଠ ପଢି ବି ନିଜ ସଂସ୍କୃତି ଓ ସଭ୍ୟତାକୁ ସମ୍ମାନ ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଡାକ୍ତରୀ ଦମ୍ପତି ଆଗାମୀ ଯୁବପିଢିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ପାଶ୍ଟାତ୍ୟ ସମାଜ ପ୍ରତି ଆକୃଷ୍ଟ ହେଉଥିବା ଯୁବପିଢି ଓ ଆତ୍ମୀୟ ସ୍ବଜନଙ୍କ ପାଇଁ ଏପରି ଏକ ନିଆରା ବାହାଘର ଏକ ସଂସ୍କୃତି ସୁରକ୍ଷା ପାଇଁ ପଥ ପଦର୍ଶକ ସାଜିଛି।

Leave a Reply

Your email address will not be published. Required fields are marked *