ମୁଗୁର ନିହାଣର ଖୁଟ୍ ଖୁଟ୍ ଶବ୍ଦ, ଅଦୂରରେ ବଡ଼ ଦେଉଳ। ବଡ଼ ଠାକୁରଙ୍କ ଶ୍ରୀମନ୍ଦିର। ପ୍ରଚଣ୍ଡ ଖରାରେ ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ରଥଖଳାରେ। ଯେଉଁଠି ସାନରୁ ବଡ, ସବୁ ସେବାୟତ ଲାଗିଛନ୍ତି କାମରେ। ଗଢା ହେଉଛି ବିଶ୍ବ ନିୟନ୍ତାଙ୍କ ରଥ। ନୃସିଂହ ଚତୁର୍ଦ୍ଦଶୀ ନୀତି ପରେ ରଥଖଳାକୁ ରୂପକାରଙ୍କ ପ୍ରବେଶ କରିଛନ୍ତି। ଯାହାଙ୍କ ଭିତରେ ଅଛନ୍ତି ୧୦-୧୧ ବର୍ଷ ବୟସର ସର୍ବ କନିଷ୍ଠ ସେବକ। 

ଏହି କୁନି ରୂପକାରମାନେ ମଧ୍ୟ ଗୁଜଗୁଡିକୁ ରୂପ ଦେଉଛନ୍ତି। ରଥ ନିର୍ମାଣ ପାଇଁ ଖୋଦେଇରେ ନିମଗ୍ନ ହୋଇଛନ୍ତି ଏହି କୁନି ରୂପକାର । ପାଠ ପଢିବା ସହ କୁଳ ସେବାକୁ ବଜାୟ ରଖିବାକୁ ରଥଖଳାରେ ଏମାନେ ନେଉଛନ୍ତି ଶିକ୍ଷା ।

କୁନି କୁନି ହାତରେ ନିହଣ ଧରି ଚଉପଟ ହୋଇଥିବା ଧଉରା କାଠରେ ରୂପ ଦେଉଛନ୍ତି। କୁନି ରୂପକାର ମାନଙ୍କ ପାଇଁ ରଥଖଳା ସାଜିଛି ଯେମିତି ଟ୍ରେନିଂ ସେଣ୍ଟର । କୁଳ ସେବାକୁ ଆଗକୁ ନେବା ପାଇଁ ରଥଖଳାରେ ଏମାନେ ବାପା ବଡ଼ ବାପାଙ୍କଠାରୁ ନେଉଛନ୍ତି ଶିକ୍ଷା । କୁନି କୁନି ହାତର ଯାଦୁକାରୀ ସ୍ପର୍ଶରେ ରୂପ ପାଉଛି ରଥର କୋଣଗୁଜ । 

କୁନିକୁନି ପାପୁଲି ଖୋଦେଇ କରୁଛି ସିଂହବିରାଳ, ନର ବିରାଳ, ଗଜ ବିରାଳ,ନାଟଘୋଡା ଆଦି ଅନେକ ଅଦ୍ଵିତୀୟ କାରିଗରୀ। କୁନି ରୂପକାରଙ୍କ ନିହଣ ମୁନର ଶବ୍ଦରେ ଗୁଞ୍ଜରିତ ହେଉଛି ରଥ ନିର୍ମାଣ ସ୍ଥଳ।ଆଉ ଉପସ୍ଥିତ କାରିଗର ମାନେ କୁନି ଶୀଳ୍ପିଙ୍କ ଚମତ୍କାରିତା ଦେଖି ଉତ୍ସାହିତ ହେଉଥିବା ବେଳେ ବାପାଅଜା ଅମଳର ଏ ସେବାକୁ ଆମେ ବଞ୍ଚାଇ ରଖିବୁ କହିଛନ୍ତି କୁନି ରୂପକାର।କୁନି ହାତରେ ପାରିଦର୍ଶିତା ଓ ନିପୁଣତା ଏବେ ସୁଦୂର ପ୍ରସାରି ହେଉଥିବା ବେଳେ ପିଲାବେଳୁ ଏହି ରୂପକାର ମାନେ ଜଗନ୍ନାଥଙ୍କ ସେବକ କହି ଗର୍ଵ ଅନୁଭବ କରୁଛନ୍ତି ।

Leave a Reply

Your email address will not be published. Required fields are marked *