ନବୀନ ନିବାସ ରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନବୀନ ନିବାସରେ ଦୀର୍ଘ ଦେଢ ଘଣ୍ଟା ରହିବେ ନୀତିଶ । ଏହି ଦେଢ ଘଣ୍ଟାରେ ଉଭୟ ନେତାଙ୍କ ମଧ୍ୟରେ କବାଟକିଳା ଆଲୋଚନା ହେବ । ତେବେ କେଉଁ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବେ ତାହା ଏଯାଏଁ ସ୍ଥିର ହୋଇନାହିଁ।

କିନ୍ତୁ ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ତୃତୀୟ ସାମ୍ମୁଖ୍ୟ ବାବଦରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ । କାରଣ ଏହାପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟର ନେତାଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । କିନ୍ତୁ ନବୀନ ଏଯାଏଁ କୌଣସି ଫ୍ରଣ୍ଟରେ ଯୋଗ ଦେଇନାହାନ୍ତି । ୨୦୧୯ରେ ମଧ୍ୟ ବିଜେପି ବିରୋଧରେ ଏକ ମୋର୍ଚ୍ଚା ଗଠନ ପାଇଁ  ଯେତେବେଳେ ଜୋର ଦିଆଯାଇଥିଲା ସେତେବେଳେ ନବୀନ ଏଥିରୁ ଦୂରେଇ ରହିଥିଲେ । କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ସବୁ ବିରୋଧୀଙ୍କୁ ଏକଜୁଟ୍ କରୁଛନ୍ତି ନୀତିଶ । ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାଙ୍କୁ ଭେଟିବା ଜାରି ରଖିଛନ୍ତି । ଅନ୍ୟପଟେ ନବୀନ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ବଜାୟ ରଖୁଥିବାରୁ ତୃତୀୟ ସାମ୍ମୁଖ୍ୟରେ ଯୋଗ ଦେବା ପାଇଁ ନବୀନଙ୍କ ସହ ଆଲୋଚନା କରିବାକୁ ବିହାରରୁ ଆସୁଛନ୍ତି ନୀତିଶ । ତେବେ ଉଭୟଙ୍କ ଆଲୋଚନାର ଫଳାଫଳ କଣ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି।

Leave a Reply

Your email address will not be published. Required fields are marked *