ଆସନ୍ତାକାଲିଠୁ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ଆରମ୍ଭ ହେବ ‘ଉତ୍ସବ ଓଡ଼ିଶା’।ସମୀକ୍ଷା କଲେ କୁଳପତି।ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିସ ପକ୍ଷରୁ ଜାତୀୟ ସଂହତି ଓ ସଂସ୍କୃତି ଉତ୍ସବ ‘ଉତ୍ସବ ଓଡ଼ିଶା’ ଅପ୍ରେଲ ୨୮-୨୯, ୨୦୨୩ରେ ଦୁଇଦିନ ବ୍ୟାପୀ ବାଣୀ ବିହାର ଏମକେସିଜି ଅଡିଟୋରିଅମରେ ଅନୁଷ୍ଠିତ ହେବ। ଆଜାଦି କା ଅମୃତ ମହୋତ୍ସବ ଏବଂ ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି ଓ ଜାତୀୟ ସଂହତି ପର୍ଯ୍ୟବସିତ ‘ଉତ୍ସବ ଓଡ଼ିଶା’। ଦୁଇ ଦିନ ଧରି ଚାଲିବାକୁ ଥିବା ‘ଉତ୍ସବ ଓଡ଼ିଶା’ କାର୍ଯ୍ୟକ୍ରମରେ ପାଞ୍ଚଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଷୟର ବିଶେଷଜ୍ଞ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବେ ଏବଂ ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ‘ଉତ୍ସବ ଓଡ଼ିଶା’ର ଉଦଘାଟନ ଉତ୍ସବରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ ଓ କୁଳସଚିବ ଡ. ଅଭୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବାକୁ ଥିବାବେଳେ ଗୁଜୁରାଟ ସରକାରଙ୍କ ପୂର୍ବର୍ତନ ଅତିରିକ୍ତ ମୁଖ୍ୟ ସଚିବ ଡ. ଏସ.କେ. ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଭିଭାଷଣ ରଖିବେ। ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିସର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ଦେବାକୁ ଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ମଙ୍ଗଳ ନିର୍ଦେଶିକା ପ୍ରଫେସର ମିତାଲି ଚିନାରା କାର୍ଯ୍ୟକ୍ରମ ପରିଚାଳନା କରିବେ ବୋଲି କୁଳପତି ପ୍ରଫେସର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ଉଦଯାପନୀ ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମୁଖ୍ୟଅତିଥି ଏବଂ ଭାରତୀୟ ନିର୍ବାଚନ ଆୟୋଗର ପୂର୍ବତନ ଉପଦେଷ୍ଟା ଭଗବାନ ପ୍ରକାଶ ସମ୍ମାନୀତ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ସେ କହିଛନ୍ତି।
ଆଜି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ନୂଆ ପ୍ରଶାସନିକ ଭବନର ସିଣ୍ଡିକେଟ ହଲରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କୁଳପତି ପ୍ରଫେସର ଆଚାର୍ଯ୍ୟ ‘ଉତ୍ସବ ଓଡ଼ିଶା’ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ସଫଳ ରୂପାୟନ ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ କୁଳସଚିବ ଡ.ଅଭୟ କୁମାର ନାୟକଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ, ପ୍ରଫେସର ଓ ‘ଉତ୍ସବ ଓଡ଼ିଶା’ର କୋର କମିଟି ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *