ଅପରେସନ ‘କାବେରି’ ଜରିଆରେ ଅଶାନ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏହାରି ମଧ୍ୟରେ ଅଶାନ୍ତ ସୁଦାନରୁ ଫେରିଛନ୍ତି ଆଉ ୩୯୨ ଭାରତୀୟ । ଜେଦାହରୁ IAF C-17 ବିମାନରେ ସେମାନେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି । ଏକାଦଶ ପର୍ଯ୍ୟାୟରେ ଘରମୁହାଁହୋଇଛନ୍ତି ଆଉ ୧୩୫ ଭାରତୀୟ । ବାୟୁସେନାର C-130J ବିମାନରେ ଫେରୁଛନ୍ତି ଲୋକେ । ପୋର୍ଟ ସୁଦାନରୁ ଜେଦାହ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ବାୟୁସେନା ବିମାନ ।

ପ୍ରଥମ ପର୍ଯ୍ୟାୟରେ ୩୬୦ ଭାରତୀୟ ଦେଶରେ ପାଦ ଦେଇଥିଲେ । ସେହି ସମୟରେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ଭାରତ ମାତା କି ଜୟ ଧ୍ୱନୀରେ କମ୍ପିଥିବା ବେଳେ ବେଶ୍‌ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ସୁଦାନରୁ ଉଦ୍ଧାର ପାଇଥିବା ଭାରତୀୟମାନେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ସେମାନଙ୍କ ଉଦ୍ୟମ ଯୋଗୁ ନୂଆ ଜୀବନ ପାଇଥିବା କହିଥିଲେ ।

ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଆମର ପ୍ରଥମ ପ୍ରାଥମିକତା ବୋଲି ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି। ସେଠାରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବ ଉଦ୍ଧାର କରି ଭାରତକୁ କିମ୍ବା ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତର କରିବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ ବୋଲି ସେ କହିଛନ୍ତି।


Leave a Reply

Your email address will not be published. Required fields are marked *